December 22, 2024
Share this article

ଗ୍ୟାଷ୍ଟ୍ରିକ୍ ସମସ୍ୟା ଥିଲେ ବି ଏହି ଉପାୟରେ ଖାଆନ୍ତୁ ପସନ୍ଦର ଖାଦ୍ୟ

ଆଜିକାଲି ଶତକଡ଼ା ୯୦ ଭାଗ ଲୋକ ଗ୍ୟାସ୍ ବା ଗ୍ୟାଷ୍ଟ୍ରିକ୍ ସମସ୍ୟା ଭୋଗୁଛନ୍ତି। ଏହି ସମସ୍ୟା ଯୋଗୁ ଅନେକ ନିଜ ମନ ପସନ୍ଦର ଖାଦ୍ୟ କେବେ କେମିତି ଖାଇବା ପାଇଁ ବି ଭୟ କରିଥାନ୍ତି। ଏହା ସ୍ୱାଭାବିକ, କାହିଁକି ନା ଗ୍ୟାଷ୍ଟ୍ରିକ୍ ସମସ୍ୟା ଯୋଗୁ ଶରୀରକୁ ଖୁବ୍ କଷ୍ଟ ସହିବାକୁ ହୋଇଥାଏ। ମାତ୍ର ଆଜି କିଛି ଟିପ୍ସ ଆପଣଙ୍କୁ କହିବୁ ଯାହା ଦ୍ଵାରା ଆପଣ ନିଜ ପସନ୍ଦର ଖାଦ୍ୟ ଖାଇପରିବେ। ମାତ୍ର ମନେ ରଖନ୍ତୁ, ଆପଣଙ୍କୁ ଯଦି ଅଧିକ ତେଲ ମସଲା ବା ପ୍ୟାକେଟ ଫୁଡ୍ ଖାଇବା ବେଶି ପସନ୍ଦ ତେବେ ଏସବୁ ନ ଖାଇଲେ ସବୁଠାରୁ ଭଲ। ନଚେତ୍ ଏହା ଆପଣଙ୍କ ସୁଗାର, କୋଲେଷ୍ଟ୍ରଲ୍, ରକ୍ତଚାପ ଭଳି ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ ବା ବଢାଇ ଦେଇପାରେ।

ତେବେ ପ୍ରଥମେ ଆସନ୍ତୁ ଜାଣିବା ଗ୍ୟାସ୍ ବା ଗ୍ୟାଷ୍ଟ୍ରିକ୍ ସମସ୍ୟା ସୃଷ୍ଟି ପାଇଁ କେଉଁ ସବୁ କାରଣ ଦାୟୀ।

ପ୍ରଥମତଃ ପରିବର୍ତ୍ତିତ ଜୀବନ ଶୈଳୀ, ଖାଦ୍ୟପେୟ ଓ ମାନସିକ ଚାପ ହିଁ ଗ୍ୟାଷ୍ଟ୍ରିକ ସମସ୍ୟାର ମୁଖ୍ୟ କାରଣ। ଏହା ସହିତ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ସକାଳ ଜଳଖିଆ ବିଳମ୍ବରେ କରିବା, ଫାଷ୍ଟଫୁଡ୍ , ଆମିଷ , ପ୍ୟାକେଟ୍ ଫୁଡ୍ , ଛଣାଛଣି ଅଧିକ ପରିମାଣରେ ଖାଇବା ଯୋଗୁ ମଧ୍ୟ ଗ୍ୟାସ ସମସ୍ୟା ସୃଷ୍ଟି ହୋଇଥାଏ। ବିଭିନ୍ନ ରୋଗ ତଥା ଶାରୀରିକ ସମସ୍ୟା ଏବଂ କେତେକ ମେଡିସିନ ଯୋଗୁଁ ମଧ୍ୟ ଗ୍ୟାସ ସମସ୍ୟା ହୋଇଥାଏ।

 

ଗ୍ୟାସ୍ ସମସ୍ୟାର ଲକ୍ଷଣ

ଗ୍ୟାସ୍ ସମସ୍ୟାର ଲକ୍ଷଣଗୁଡ଼ିକ ହେଉଛି ଆମ୍ବିଳା ହାକୁଟି ଦେବା, ବଦହଜମୀ ଲାଗିବା, ତଣ୍ଟି/ଛାତି ପୋଡ଼ିବା, ଉପର ପେଟ ଦରଜ ହେବା, ନାହି ପାଖରେ ଯନ୍ତ୍ରଣା, ବାନ୍ତି ଲାଗିବା , ଭୋକ କମିଯିବା, ପେଟ ଫୁଲିବା, ଖାଇସାରିବା ପରେ ପେଟ ଯନ୍ତ୍ରଣା ଅଧିକା ହେବା ହେଉଛି ଗ୍ୟାଷ୍ଟ୍ରିକର ଲକ୍ଷଣ।

ଏତେ ସବୁ କଷ୍ଟଦାୟକ ଲକ୍ଷଣ ସବୁ ସହିବା ପରେ ଆପଣ ନିଶ୍ଚୟ ଭୟ କରୁଥିବେ ଆପଣଙ୍କ ପ୍ରିୟ ଖାଦ୍ୟ ଖାଇବାକୁ ଯାହା ଗ୍ୟାସ୍ କରାଉଥିବ। ତେବେ ଆଜି ଆମେ କିଛି ଟିପ୍ସ କହିବୁ ଯାହାକୁ ବ୍ୟବହାର କରି ନିଜର ପ୍ରିୟ ଖାଦ୍ୟ ଖାଇପାରିବେ।

ଆପଣ ନିଜ ମନ ପସନ୍ଦର ଖାଦ୍ୟ ଖାଆନ୍ତୁ ଆଉ ତାପରେ ଯଦି ଗ୍ୟାସ୍ ସମସ୍ୟା ଆପଣଙ୍କୁ ହଇରାଣ କରେ ତେବେ ଏହି ସବୁ ଘରୋଇ ଉପଚାର ଦ୍ଵାରା ଆରାମ ପାଆନ୍ତୁ।

 

ଡାଲ୍‌ଚିନି: ଖାଇ ସାରିବା ପରେ ଦେଖିବେ ଯଦି ଗ୍ୟାସ୍ ସମସ୍ୟା ଆରମ୍ଭ ହୁଏ ତେବେ କିଛି ଡାଲ୍‌ଚିନି ପାଉଡରକୁ ଆପଣ ଉଷୁମ ପାଣିରେ ମିଶାଇ ପିଇଲେ ଗ୍ୟାସ୍ ସମସ୍ୟାରୁ ମୁକ୍ତି ପାଇପାରିବେ। ଆପଣ ଚାହିଁଲେ ଏଥିରେ ଅଳ୍ପ ମହୁ ମିଶାଇ ମଧ୍ୟ ପିଇ ପାରିବେ।

ପାନମଧୁରୀ ଓ ଜୁଆଣି: ଗ୍ୟାସ୍‌ ସମସ୍ୟାରୁ ମୁକ୍ତି ପାଇବା ଲାଗି ପାନମଧୁରୀକୁ ଚୋବାଇ ଖାଇ ପାରିବେ। ନଚେତ୍ ଜୁଆଣି ମଧ୍ୟ ଚୋବାଇ ଖାଇପାରିବେ। ଜୁଆଣିରେ ଟିକେ କଳାଲୁଣ ମିଶାଇ ଉଷୁମ ପାଣିରେ ପିଇଲେ ପେଟ ଯନ୍ତ୍ରଣା, ଗ୍ୟାସ ଓ ପେଟ ଫୁଲିବା ସମସ୍ୟାରୁ ମୁକ୍ତି ମିଳିଥାଏ।

ଅଦା: ଯେତେବେଳେ ପେଟରେ ଗ୍ୟାସ୍ ହୋଇ ଯନ୍ତ୍ରଣା ହେଉଥିବ ସେତେବେଳେ ଅଦାର ଛୋଟ ଅଂଶକୁ କାଟି ଧିରେ ଧିରେ ଚୋବାଇ ଉଷୁମ ପାଣି ପିଅନ୍ତୁ। ନଚେତ୍ ଉଷୁମ ପାଣିରେ ଅଦା ଛେଚି ପକାଇବା ପରେ ତାକୁ ଛାଣି ପିଇଲେ ଆରାମ ମିଳିବ।

ଲେମ୍ବୁ ପାଣି ଓ ବେକିଂ ସୋଢ଼ା:କିଛି ପାଣିରେ ଅଳ୍ପ ଲେମ୍ବୁରସ ଓ ଟିକିଏ ବେକିଂ ସୋଡ଼ା ମିଶାଇ ପିଇବା ଫଳରେ ଗ୍ୟାସ୍‌ ସମସ୍ୟା ତୁରନ୍ତ ଦୂର ହୋଇଥାଏ।

ରସୁଣ: କିଛି ରସୁଣ ପାଖୁଡାକୁ ପାଣିରେ ପକାଇ ଫୁଟାଇ ସେଥିରେ ଗୋଲମରିଚ ଗୁଣ୍ଡ ଓ ଜିରା ମିଶାଇ କିଛି ସମୟ ଛାଣି ଦିଅନ୍ତୁ। ପରେ ଥଣ୍ଡା ହେଲେ ପିଅନ୍ତୁ । ଦେଖିବେ ଗ୍ୟାସ ସମସ୍ୟା ଦୂର ହୋଇଯିବ।

ହେଙ୍ଗୁ: ଏକ ଗ୍ଲାସ ଉଷୁମ ପାଣିରେ ଟିକିଏ ହେଙ୍ଗୁ ଓ ଟିକିଏ ଲୁଣ ପକାଇ ପେଟ ଯନ୍ତ୍ରଣା ସମସ୍ୟା ସମୟରେ ପିଅନ୍ତୁ। ତୁରନ୍ତ ଆରାମ ଲାଗିବ।

ଆଉ ଗୋଟିଏ କଥା ମନେ ରଖନ୍ତୁ , ଖାଦ୍ୟ ଖାଇବା ପରେ ଦିନରେ ଓ ରାତିରେ ଗୋଟିଏ ଗୋଟିଏ ଲବଙ୍ଗ ଖାଆନ୍ତୁ । ଦେଖିବେ ଆମ୍ବିଳା ହାକୁ଼ଟି ଆସିବା ବନ୍ଦ ହେବା ସହ ଗ୍ୟାସ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିବ।

ତେବେ ଅନେକ ଖାଦ୍ୟ ରହିଛି ଯାହାକୁ ଖାଇଲେ ଗ୍ୟାସ୍ ସମସ୍ୟା ଆହୁରି ବଢିଯାଏ। ତେଣୁ ଗ୍ୟାସ୍ ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରଥମେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ନିତ୍ୟାନ୍ତ ଜରୁରୀ।

ଆହୁରି ପଢ଼ନ୍ତୁ: ମାନନ୍ତୁ ଏହି ୫ କଥା; ପତି ପତ୍ନୀଙ୍କ ମଧ୍ୟରେ ବଢ଼ିବ ଭଲପାଇବା