ମାନନ୍ତୁ ଏହି ୫ କଥା; ପତି ପତ୍ନୀଙ୍କ ମଧ୍ୟରେ ବଢ଼ିବ ଭଲପାଇବା
ଆଚାର୍ଯ୍ୟ ଚାଣକ୍ୟ ଅନେକ ଉପଦେଶ ଦେଇ ଯାଇଛନ୍ତି। ଯେଉଁ ବ୍ୟକ୍ତି ତାଙ୍କ ପ୍ରଦର୍ଶିତ ପଥ ଅନୁସରଣ କରେ, ସେ ଜୀବନରେ କେବେ ହାରିଯାଏ ନାହିଁ। ଏସବୁ ଭିତରେ ଚାଣକ୍ୟ ଏକ ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଆଜି ଆଲୋଚନା କରିବା ପତି ପତ୍ନୀ ସମ୍ପର୍କରେ ଫାଟ କାହିଁକି ଆସେ? ଅନେକ ପ୍ରେମ ବିବାହ କରିବା ସତ୍ତ୍ୱେ ବି ପରେ କାହିଁକି ସେମାନଙ୍କ ମଧ୍ୟରେ ଦେଖାଦିଏ ମନୋମାଳିନ୍ୟ? ଏସବୁ ପଛରେ କଣ ରହିଛି କାରଣ ଏବଂ କଣ କଲେ ପତି ପତ୍ନୀଙ୍କ ମଧ୍ୟରେ କେବେ ବି ଝଗଡ଼ା ହେବ ନାହିଁ ଆସନ୍ତୁ ଜାଣିବା।
ଚାଣକ୍ୟ କହିଛନ୍ତି ଯେ, ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଅତ୍ୟନ୍ତ ସୂକ୍ଷ୍ମ। ଏପରି ପରିସ୍ଥିତିରେ, ଜୀବନ ସାଥୀ ବାଛିବାବେଳେ ଉଭୟ ଉଭୟଙ୍କ ଭଲ ଓ ଖରାପ ଗୁଣ ବିଷୟରେ ଜାଣିବା ଉଚିତ୍। ଯାହାଫଳରେ ଆଗାମୀ ଜୀବନ ଖୁସିରେ କଟିବ। ଯଦି ସାଥୀ ଭଲ ହୋଇଥାନ୍ତି ତେବେ ବିବାହ ବନ୍ଧନ ସୁଖଦ ମନେହୁଏ, କିନ୍ତୁ ଯଦି ସ୍ୱାମୀ-ସ୍ତ୍ରୀ ପରସ୍ପର ସହିତ ସମନ୍ୱୟ ରକ୍ଷା କରନ୍ତି ନାହିଁ, ତେବେ କିଛି ବର୍ଷ ଏକାଠି ରହିବା ବି କଷ୍ଟକର ହୋଇଯାଏ। ଅନେକ ସମୟରେ ସ୍ୱାମୀ ନିଜ ପତ୍ନୀଙ୍କ ଶତ୍ରୁ ହୁଅନ୍ତି କିମ୍ବା ପତ୍ନୀ ତାଙ୍କ ସ୍ୱାମୀଙ୍କ ଶତ୍ରୁ ବନିଯାଆନ୍ତି। ଏସବୁ ପଛରେ ଏପରି କିଛି କାରଣ ରହିଥାଏ।
ପରସ୍ପରକୁ ପ୍ରତାରଣା
ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ସ୍ୱାମୀ-ସ୍ତ୍ରୀଙ୍କ ବନ୍ଧନ ସ୍ନେହ ପ୍ରେମ ଓ ବିଶ୍ଵାସରେ ବନ୍ଧା। ତେଣୁ କେହି ବି କାହାକୁ ପ୍ରତାରଣା କରିବା ଉଚିତ୍ ନୁହେଁ। ଯେତେବେଳେ ସ୍ୱାମୀ କିମ୍ବା ସ୍ତ୍ରୀ ନିଜ ସାଥୀଙ୍କୁ ପ୍ରତାରଣା କରିବା ଆରମ୍ଭ କରନ୍ତି, ସ୍ୱାମୀ କିମ୍ବା ସ୍ତ୍ରୀ ଅନ୍ୟ ନାରୀ ବା ପୁରୁଷ ସହ ଅନୈତିକ ସମ୍ପର୍କ ସ୍ଥାପନ କରନ୍ତି ସେତେବେଳେ ଏହି ବନ୍ଧନ ଭାଙ୍ଗି ଯାଇଥାଏ।
ଆହୁରି ପଢ଼ନ୍ତୁ: ଖରାରେ ଯଦି ଗାଡ଼ି ରଖୁଛନ୍ତି ତେବେ ହୋଇଯାଆନ୍ତୁ ସତର୍କ; ପଡ଼ିବ ଏହି ପ୍ରଭାବ
ପରସ୍ପର ସହିତ ବିଚାର ବିମର୍ଶ ନକଲେ ଓ ଅପମାନିତ କଲେ
ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ଉଭୟ ପତି ପତ୍ନୀଙ୍କୁ ନେଇ ଘର ବା ସଂସାର। ତେଣୁ କୌଣସି ବି କାର୍ଯ୍ୟ ପୂର୍ବରୁ ଉଭୟ ପତି ପତ୍ନୀ ନିଜ ଭିତରେ ସେ ସଂପର୍କରେ ଆଲୋଚନା କରିବା ଆବଶ୍ୟକ। ଯେଉଁ ପୁରୁଷ କୌଣସି କାର୍ଯ୍ୟରେ ପତ୍ନୀଙ୍କ ପରାମର୍ଶ କରନ୍ତି ନାହିଁ କିମ୍ବା କୌଣସି ଘଟଣା ନେଇ ବିଚାର ବିମର୍ଶ କରନ୍ତି ନାହିଁ ଏବଂ ଯେଉଁ ପତ୍ନୀ ତାଙ୍କ କାର୍ଯ୍ୟରେ ତାଙ୍କ ସ୍ୱାମୀଙ୍କ ହସ୍ତକ୍ଷେପକୁ ସହ୍ୟ କରନ୍ତି ନାହିଁ, ସେଭଳି ସ୍ଥିତିରେ ସମ୍ପର୍କ ବେଶୀ ଦୂର ଯାଇ ନଥାଏ। ଏହା ସହିତ ଯଦି ଉଭୟ ଛୋଟ ଛୋଟ ଜିନିଷ ପାଇଁ ପରସ୍ପରକୁ ଅପମାନିତ କରିଥାଆନ୍ତି, ଏପରିକି ସ୍ୱାମୀ-ସ୍ତ୍ରୀ କେହି କାହାକୁ ସମର୍ଥନ କରି ନଥାନ୍ତି ସେପରି ସ୍ଥିତିରେ ମଧ୍ୟ ମନୋମାଳିନ୍ୟ ସୃଷ୍ଟିହୋଇ ପରେ ଝଡ଼ର ରୂପ ନେଇଥାଏ। ଫଳରେ ଉଭୟ ଏକାଠି ରହିପାରନ୍ତି ସତ କିନ୍ତୁ କେବଳ ବାଧ୍ୟ ବାଧ୍ୟକତାରେ।
ପରସ୍ପରକୁ କିଛି ଲୁଚାଇଲେ
ଯଦି ସ୍ୱାମୀ-ସ୍ତ୍ରୀ ପରସ୍ପରକୁ କିଛି ଲୁଚାଇବା ଆରମ୍ଭ କରନ୍ତି, ତେବେ ସେହି ସମ୍ପର୍କ କଦାପି ତିଷ୍ଠି ରହିପାରିବ ନାହିଁ। ସବୁ ସମ୍ପର୍କର ମୂଳଦୁଆ ବିଶ୍ୱାସ ଉପରେ ନିର୍ଭର କରେ। ତେଣୁ ସ୍ୱାମୀ-ସ୍ତ୍ରୀ ସେମାନଙ୍କ ବିଷୟରେ ପ୍ରତ୍ୟେକ ଛୋଟ ଛୋଟ କଥା ନିଜ ଜୀବନସାଥୀଙ୍କୁ କହିବା ଉଚିତ୍। ଯଦି ଦୁହେଁ ପରସ୍ପରକୁ କିଛି କଥା ଲୁଚାନ୍ତି, ତେବେ ଧୀରେ ଧୀରେ ସମ୍ପର୍କ ଭାଙ୍ଗିଯାଇଥାଏ।
ଟଙ୍କା ପାଇଁ ଲୋଭ
ପତିଙ୍କ କଷ୍ଟ ଉପାର୍ଜିତ ଧନକୁ ଲୋଭ କରିବା, ସଞ୍ଚୟ କରିବା ଓ ଉଚିତ ସ୍ଥାନରେ ଏବଂ ଉଚିତ ସମୟରେ ଖର୍ଚ୍ଚ କରିବା ଜଣେ ଉତ୍ତମ ପତ୍ନୀର ଗୁଣ ହୋଇଥାଏ। କିନ୍ତୁ ଚାଣକ୍ୟ କହିଛନ୍ତି ଯେ ଯଦି ପତ୍ନୀ ସ୍ୱାମୀଙ୍କୁ ଶ୍ରଦ୍ଧା ନ କରି, ତାଙ୍କ ସେବା ନ କରି କେବଳ ତାଙ୍କ ଟଙ୍କା ଓ ଧନକୁ ଲୋଭ କରନ୍ତି ତେବେ ସେଭଳି ପତ୍ନୀ ନିଜ ବୈବାହିକ ଜୀବନକୁ ନଷ୍ଟ କରିଦିଅନ୍ତି।
ପରସ୍ପରକୁ ଅସମ୍ମାନ କଲେ
ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ବିବାହରେ ପ୍ରେମ, ବିଶ୍ୱାସ ଯେତିକି ଜରୁରୀ; ପ୍ରତ୍ୟେକ କ୍ଷେତ୍ରରେ ପରସ୍ପର ପ୍ରତି ସମ୍ମାନ ରହିବା ମଧ୍ୟ ସେତିକି ଜରୁରୀ। ଉଭୟ ଉଭୟଙ୍କ ଭବନାକୁ ସମ୍ମାନ ଦେବା ବି ସେତିକି ଜରୁରୀ। ଯଦି ସ୍ୱାମୀ କିମ୍ବା ସ୍ତ୍ରୀ ପରସ୍ପରକୁ ସମ୍ମାନ କରନ୍ତି ନାହିଁ, ଅପମାନଜନକ ଶବ୍ଦ କୁହନ୍ତି କିମ୍ବା ନିଜ ପରିବାର ଲୋକ ତଥା ବାହାର ଲୋକଙ୍କ ଆଗରେ ଅସମ୍ମାନିତ କରନ୍ତି, ତେବେ ଏପରି ବିବାହ ବା ସମ୍ପର୍କର କୌଣସି ଅର୍ଥ ନାହିଁ। ଏହିଭଳି କ୍ଷେତ୍ରରେ ପତି ପତ୍ନୀ ମଧ୍ୟରେ ଫାଟ ସୃଷ୍ଟି ହୋଇଥାଏ।
ଆହୁରି ପଢ଼ନ୍ତୁ: ପୃଥିବୀର ୫ ଭୟାନକ ସ୍ଥାନ; ଏବେବି ଅନୁଭୂତ ହୁଏ ପ୍ରେତାତ୍ମାର ସ୍ଥିତି